ଆଜିଠୁ ସମୁଦ୍ରରେ ମାଛଧରା କଟକଣା
ପାରାଦୀପ: ଆଜିଠୁ ସମୁଦ୍ରରେ ମାଛ ଧରାରେ କଟକଣା ଲାଗୁ କରାଯାଇଛି । ନଭେମ୍ବର ୧ ତାରିଖ ପାଖରୁ ମେ’ ୩୧ ତାରିଖ ଆମାଗୀ ୭ ମାସ ଯାଏ ଏହି କଟକଣା ଲାଗୁ ରହିବ ବୋଲି ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଆଜିଠୁ ୭ ମାସ ପର୍ୟ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ଅଲିଭ୍ରିଡ୍ଲେ କଇଁଛଙ୍କ ପ୍ରଜନନ ଲାଗି ସମୁଦ୍ରରେ ମାଛଧରା କଟକଣା ଲାଗୁ ହୋଇଛି । ଏହି ଅଞ୍ଚଳକୁ ଅଭୟାରଣ୍ୟ ଘୋଷିତ କରାଯାଇଥିବାରୁ ଏହି ଜଳସୀମାରେ ପ୍ରବେଶ କରି ମାଛ ମାରିବାକୁ ଦଣ୍ଡନୀୟ ଅପରାଧ ବୋଲି ଘୋଷଣା କରାଯାଇଛି । ଏହି କ୍ରମରେ ପାରାଦୀପ ମାଛଧରା ବନ୍ଦରରେ ଥିବା ୭ ଶହ ପାଖାପାଖି ଟ୍ରଲର୍ ଯଦିଓ ସମୁଦ୍ରକୁ ମାଛ ମାରିବାକୁ ଯିବେ, କିନ୍ତୁ ୨୦ ନଟିକାଲ୍ ମାଇଲ୍ ମଧ୍ୟରେ ମାଛ ମାରି ପାରିବେ ନାହିଁ ।
ସେହିପରି ବିଶ୍ୱପ୍ରସିଦ୍ଧ ଅଲିଭ୍ରିଡ୍ଲେ କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବି କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ରାଜନଗର ବନବିଭାଗ ପକ୍ଷରୁ ଆଗନ୍ତୁକ ଅଲିଭ୍ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ମେ’ ୩୧ ତାରିଖ ପର୍ୟ୍ୟନ୍ତ ମାଛଧରା ଉପରେ କଟକଣା ଲାଗୁ କରାଯାଇଛି । କଟକଣା ସମୟରେ ବନବିଭାଗ ସହିତ ତଟରକ୍ଷୀ ବାହିନୀ, ରାଜ୍ୟ ମତ୍ସ୍ୟ ବିଭାଗ ସହଯୋଗ କରିବେ । ରାଜନଗର ବନ ବିଭାଗ ପକ୍ଷରୁ ବାବୁବାଲି ଦ୍ୱୀପ ଏବଂ ମାଦଳି ମୁହାଣଠାରେ ଦୁଇଟି କ୍ୟାମ୍ପ୍ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କ୍ୟାମ୍ପ୍ରେ ୨୦ ଜଣ ବନ କର୍ମଚାରୀ ସଜାଗ ରହିବେ । ଏହାଛଡ଼ା ହବାଳିଖଟି, ସାତଭାୟା, ଦୋବନ୍ଧି, ନାସୀ ୧, ନାସୀ ୨, ଚିଞ୍ଚିରି, ମାଦଳି ଆଦି ୧୪ଟି ସ୍ଥାନରେ ପ୍ରୋଟେକ୍ସନ କ୍ୟାମ୍ପ୍ରେ ୨୮ ଜଣ ବନ କର୍ମଚାରୀ ସାମିଲ ହେବେ । ବନ କର୍ମଚାରୀଙ୍କ ସହିତ ଏପିଆର୍ ଫୋର୍ସ ପାଟ୍ରୋଲିଂରେ ଯିବେ ।