ଆଉ ଏକ ଶ୍ରଦ୍ଧା ହତ୍ୟାକାଣ୍ଡ : ଯୁବତୀଙ୍କୁ ଖଣ୍ଡ ଖଣ୍ଡ କରି କାଟି ଡ୍ରମରେ ପୁରାଇଲା ଯୁବକ

Dec 6, 2022 - 15:28
 34
ଆଉ ଏକ ଶ୍ରଦ୍ଧା ହତ୍ୟାକାଣ୍ଡ : ଯୁବତୀଙ୍କୁ ଖଣ୍ଡ ଖଣ୍ଡ କରି କାଟି ଡ୍ରମରେ ପୁରାଇଲା ଯୁବକ
ବିଶାଖାପାଟଣା : ଦିଲ୍ଲୀର ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାଲକର ହତ୍ୟାକାଣ୍ଡ ପରି ଆଉ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ସାମନାକୁ ଆସିଛି । ପ୍ରାୟ ଦେଢ ବର୍ଷ ହେଲା ବନ୍ଦ ଥିବା ଏକ ଘରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ତାକୁ କେହି ଜଣେ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟି ଏକ ଏକ କମ୍ବଳରେ ଗୁଡ଼ାଇ ଏକ ପ୍ଲାଷ୍ଟିକ୍ ଡ୍ରମ ଭିତରେ ରଖାଯାଇଥିଲା । ଘଟଣାଟି ଘଟିଛି ବିଶାଖାପାଟଣାର ମଧୁରଓ୍ବା଼ଡ଼ା ଅଂଚଳରେ । ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ମୃତ ଯୁବତୀଙ୍କ ବୟସ ୨୫ ବର୍ଷ ହେବ । ପ୍ରାୟ ଦେଢ ବର୍ଷ ପୂର୍ବେ ଋଷି ନାମକ ଜଣେ ଯୁବକ ତାଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟି ଏକ ପ୍ଲାଷ୍ଟିକ୍ ଡ୍ରମରେ ପୁରାଇ ଫେରାର ହୋଇଯାଇଥିଲା । ସଂପୃକ୍ତ ଯୁବକ ଏକ ଭଡ଼ା ଘରେ ନିଜ ପତ୍ନୀ ଓ ଶିଶୁ କନ୍ୟା ସହ ରହୁଥିଲା । ପତ୍ନୀ ନିଜ ବାପଘରକୁ ଯାଇଥିବାବେଳେ ସେ ଘରକୁ ଆଉ ଏକ ଯୁବତୀକୁ ଡକାଇଥିଲା । ଯୁବତୀଙ୍କ ସହ ତାର ବଚସା ପରେ ସେ ତାକୁ ହତ୍ୟା କରିଥିବା ସଂଦେହ କରାଯାଉଛି । ହତ୍ୟା କରି ଡ୍ରମରେ ମୃତଦେହକୁ ପୁରାଇବା ପରେ ସେ ଘରଛାଡ଼ି ଚାଲିଯାଇଥିଲା । ପ୍ରାୟ ଦେଢ ବର୍ଷ ଧରି ଘର ନଛାଡ଼ିବାରୁ ଘର ମାଲିକଙ୍କ ସଂଦେହ ହୋଇଥିଲା । ଏହା ପରେ ସେ ତାଲା ଭଙ୍ଗି ଘରକୁ ପଶିବା ପରେ ଡ୍ରମ ଭିତରେ ମୃତଦେହକୁ ଦେଖିଥିଲେ । ମୃତ ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ସେ ଜଣେ ଦେହଜୀବୀ ହୋଇଥିବା ସଂଦେହ କରାଯାଉଛି ।