ଅଭ୍ର ଖଣି ଶିଶୁ ଶ୍ରମିକଙ୍କ ଥଇଥାନ ପାଇଁ ପଦକ୍ଷେପ
କୋଦେର୍ମା (ଝାଡ଼ଖଣ୍ଡ) ; ୨୯/୧୦: ବିଦ୍ୟୁତ କୁପରିବାହୀ ଦ୍ରବ୍ୟ ଭାବେ ବ୍ୟବହୃତ ଅଭ୍ର ଖଣିରେ କାର୍ଯ୍ୟରତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଝାଡ଼ଖଣ୍ଡ ସରକାର, ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ଓ ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟର୍ଥୀ ଶିଶୁ ଫାଉଣ୍ଡେସନ ହାତ ମିଳାଇଛନ୍ତି । ଅଭ୍ର ଖଣିରେ ଗାତ ଖୋଳିବା ଠାରୁ ଆରମ୍ଭ କରି ପଥର ଫଟାଇବା ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥାନ୍ତି । ଏହି ପ୍ରକ୍ରିୟାରେ ସେମାନେ ବିଦ୍ୟାଳୟ ଯିବାରୁ ବଞ୍ଚିତ ହେବା ସହ ଶୋଷଣର ଶିକାର ହୋଇଥାନ୍ତି । ଏହାଫଳରେ ସେମାନଙ୍କ ଭବିଷ୍ୟତ ନଷ୍ଟ ହୋଇଥାଏ । ଏହି ଅଭ୍ର ପ୍ରସାଧନ ସାମଗ୍ରୀ, ରଙ୍ଗ ଓ ବିଦ୍ୟୁତ କୁପରିବାହୀ ସାମଗ୍ରୀ ପ୍ରସ୍ତୁତିରେ ଉପଯୋଗ କରାଯାଇଥାଏ । ଏହି ସହଯୋଗୀତା ଦ୍ୱାରା ବାଳ ମିତ୍ର ଗ୍ରାମ ଯୋଜନାରେ ୩ ସଂସ୍ଥା ଅଭ୍ର ଖଣି ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ଉଦ୍ଧାର ଓ ଥଇଥାନ ପାଇଁ ପଦକ୍ଷେପ ଗ୍ରହଣ କରିବେ । ଏହି ଅବସରରେ କୈଳାଶ ସତ୍ୟାର୍ଥୀ କହିଛନ୍ତି ଯେ, ଝାଡ଼ଖଣ୍ଡରେ ୧୨୬ଟି ଗ୍ରାମକୁ ଶିଶୁ ଶ୍ରମିକମୁକ୍ତ କରାଯାଇଛି । ପ୍ରାୟ ୫୦,୦୦୦ ପିଲାଙ୍କୁ ବିଦ୍ୟାଳୟକୁ ପ୍ରେରଣ କରାଯାଇପାରିଛି । ଏହାସତ୍ତ୍ୱେ ଅଭ୍ର ଖଣି ଆଖପାଖ ଅଞ୍ଚଳରେ ଥିବା ୫୦୦ ଗ୍ରାମର ଏବେ ବି ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ବାଳ ମିତ୍ର ଗ୍ରାମ ଯୋଜନାରେ ଏହି ସମସ୍ତ ପିଲାଙ୍କୁ ଆମେ ବିଦ୍ୟାଳୟକୁ ଆଣିବାରେ ଆମେ ସମର୍ଥ ହୋଇପାରିବୁ ବୋଲି ସେ କହିଛନ୍ତି । ବାଳ ମିତ୍ର ଗ୍ରାମ ଜରିଆରେ ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥାଏ । ଏହି ସହଭାଗିତା ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଆନନ୍ଦ ପ୍ରକାଶ କରିବା ସହ ଝାଡ଼ଖଣ୍ଡର ପ୍ରତି ଗ୍ରାମରେ କୈଳାଶ ସତ୍ୟାର୍ଥୀ ଶିଶୁ ଫାଉଣ୍ଡେସନ ବାଳ ପଞ୍ଚାୟତ ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଧାୟକ, ସାଂସଦ, ସରକାରୀ ଅଧିକାରୀ ଓ ଛାତ୍ରଛାତ୍ରୀ ଆଦି ଉପସ୍ଥିତ ଥିଲେ ।