ଅଭିଜିତ ଗଲେ ଜେଲ
ଭୁବନେଶ୍ୱର, ୨୩/୧୦ (ସକାଳଖବର):ଓଡ଼ିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଆଜି ଗିରଫ ହୋଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କ ଜାମିନ ଆବେଦନକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଖାରଜ କରିବା ପରେ ତାଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ତାଙ୍କ ବିରୋଧରେ ଶହୀଦ ନଗର ଥାନାରେ ଆଇପିସିର ଧାରା ୨୯୪, ୨୯୫-କ, ୧୫୩-କ, ୫୦୦, ୫୦୬ ଓ ଆଇଟି ଆକ୍ଟର ଧାରା-୬୭ ଅନ୍ତର୍ଗତ ମାମଲା ରୁଜୁ ହୋଇଥିଲା।ଆୟରଙ୍କୁ ଗିରଫ କରାଯିବା ସମ୍ପର୍କରେ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି ଏହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ କି, ଓଡିଶା କଳା, ସଂସ୍କୃତି ଏବଂ ଐତିହ ପ୍ରତି ଅମପାନସୂଚକ ମନ୍ତବ୍ୟ ଦେଇଥିବା ଅଭିଜିତ ଆଜି କଡ଼ା ସୁରକ୍ଷା ମଧ୍ୟରେ ଗୃହ କମିଟି ନିକଟରେ ହାଜର ହୋଇଥିଲେ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଜେରା କରାଯାଇଥିଲା । ତାଙ୍କୁ ଦୁଇଟି ପର୍ୟ୍ୟାୟୟରେ ଜେରା କରାଯାଇଥିଲା । କମିଟି ତାଙ୍କର ବୟାନ ରେକର୍ଡ କରିଥିଲା । ପ୍ରଥମେ ସେ ନିଜ ଭୁଲ ସ୍ୱୀକାର କରିବା ସହିତ ତାଙ୍କୁ ନିଃସର୍ତ୍ତଭାବେ କ୍ଷମା କରିବାକୁ ଅନୁରୋଧ କରିଥିଲେ । ଏବେବି ତଦନ୍ତ ଅସମାପ୍ତ ରହିଥିବା କମିଟି ଅଧ୍ୟକ୍ଷ ଶ୍ରୀ ନରସିଂହ ମିଶ୍ର କହିଛନ୍ତି । ତେଣୁ ଆସନ୍ତା ୨ ତାରିଖରେ ସତ୍ୟପାଠ ଦାଖଲ କରିବାକୁ କମିଟି ନିର୍ଦ୍ଦେଶ ଦେଇଛନ୍ତି । ସେ ଆଉ ଏ ବିଷୟରେ କ’ଣ କହିବେ ସତ୍ୟପାଠ ଜରିଆରେ ଜଣାଇବେ । ସତ୍ୟପାଠ ଦାଖଲ ପରେ ତର୍ଜମା କରାଯିବ । ତାଙ୍କୁ ନିଃସର୍ତ୍ତ କ୍ଷମା ମିଳିବ କି ନାହିଁ ସେ ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଆଜିର ବୈଠକରେ କମିଟିର ଅନ୍ୟ ସଦସ୍ୟ ବିଧାୟକ କନକବର୍ଦ୍ଧନ ସିଂହଦେଓ, ସଂଜୟ ଦାସବର୍ମା, ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ ଓ ବିଧାୟିକା ପ୍ରମିଳା ମଲ୍ଲିକ ଉପସ୍ଥିତ ଥିଲେ ।