ଅଜବ ବାହାଘର :କୁକୁର ବର,ବଧୂ ସଝିଛି କୁନି ଝିଅ

Mar 9, 2022 - 05:23
 55
ଅଜବ ବାହାଘର :କୁକୁର ବର,ବଧୂ ସଝିଛି କୁନି ଝିଅ
କାମାକ୍ଷାନଗର : ବର ବେଶରେ ସଜେଇ ହୋଇଛି କୁକୁର। ଆଉ ବଧୂ ସଝିଛି କୁନି ଝିଅ। ଧୂମ୍‌ଧାମରେ ଚାଲିଛି କୁକୁର ସହିତ ନାବାଳିକାର ବାହାଘର। ଏପରି ଅଜବ ବାହାଘର ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଭଳି ଆଦିବାସୀ ଅଞ୍ଚଳରେ ଦେଖିବାକୁ ମିଳିଛି। ଆଦିବାସୀ ପରମ୍ପରା ଅନୁସାରେ ପିଲାର ପାଟିର ଉପର ମାଢ଼ିରେ ପ୍ରଥମେ ଦାନ୍ତ ଉଠିବା ଭଲ ନୁହେଁ। ତାହା ଅଶୁଭ ବୋଲି ମାନି ନିଆଯାଏ। ତେଣୁ ତା’ର ରିଷ୍ଟ ଖଣ୍ଡନ କରାଯାଇଥାଏ। ଝିଅ ହୋଇଥିଲେ ପୁଅ କୁକୁର ଓ ପୁଅ ହୋଇଥିଲେ ଝିଅ କୁକୁର ସହିତ ବାହାଘର କରାଯାଇଥାଏ। ଏହି ପରମ୍ପରା କେଉଁ କାଳରୁ ଚାଲି ଆସିଛି ବୋଲି ଆଦିବାସୀ ସମ୍ପ୍ରଦାୟ ଲୋକମାନେ କହିଛନ୍ତି। ସେହି ଅଜବ ପରମ୍ପରାକୁ ସମ୍ମାନ ଜଣାଇ ଆଜି କରଗୋଳା ପଞ୍ଚାୟତ ଦେବଗଣ ସାହିର ଗୋବିନ୍ଦ ଗପ୍‌ ତାଙ୍କ ବାହାଘର କରିଛନ୍ତି। ଗୋବିନ୍ଦଙ୍କ ଝିଅ ବଧୂ ବେଶରେ ସଜେଇ ହୋଇଥିବା ବେଳେ ପର୍ଶୁରାମଙ୍କ କୁକୁର ବର ବେଶରେ ସଜେଇ ହୋଇଥିଲେ। ଆଉ ତା’ପରେ ବର ଓ କନିଆଁକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ମାଦଳର ତାଳେ ତାଳେ ଗାଁର ମହିଳା ଓ ପୁରୁଷମାନେ ହାତକୁ ହାତ ମିଳାଇ, ପାଦକୁ ପାଦ ଛନ୍ଦି ନାଚି ଥିଲେ। ସବା ଶେଷରେ ହୋଇଥିଲା ବାହାଘର। ଆଦିବାସୀ ପରମ୍ପରା ଅନୁସାରେ ବାହାଘର ସରିବା ପରେ ଭୋଜିଭାତ ଆୟୋଜନ କରାଯାଇଥିଲା।