୧ ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର, ୦୩/୪(ସକାଳଖବର): କଂଗ୍ରେସ ଆଜି ଗୋଟିଏ ଲୋକସଭା ଓ ୯ଟି ବିଧାନସଭାର ପ୍ରାର୍ଥୀ ଘୋଷଣା କରିଛି । ଏଥି ମଧ୍ୟରୁ ସମ୍ବଲପୁର ଲୋକସଭା, ବେଗୁନିଆ ଓ କଟକ ସଦରର ପ୍ରାର୍ଥୀଙ୍କୁ ପରିବର୍ତନ କରାଯାଇଛି । ସମ୍ବଲପୁର ଲୋକସଭାପାଇଁ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ସମ୍ବଲପୁର ବିଧାନସଭା ଆସନ ପାଇଁ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଥିଲା ବେଳେ କଟକ-ଚୌଦ୍ୱାର ପାଇଁ ଜଗଦ୍ଧୀଶ ମହାନ୍ତି, ଘଷିପୁରା ପାଇଁ ନିରଂଜନ ପଟ୍ଟନାୟକ, ଜୟଦେବ ନିର୍ବାଚନ ମଣ୍ଡଳୀ ପାଇଁ ସୁକାନ୍ତ ତିଆରି ଭୋଇ, କଟକ ସଦର ପାଇଁ ଅଭିଷେକ ମହାନନ୍ଦଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଛି । ଏହା ବ୍ୟତୀତ ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଦୀପ ସାହୁ, ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଦୀପ ସ୍ୱାଇଁ, ମଧ୍ୟ ଭୁବନେଶ୍ୱର ପାଇଁ ରାଜୀବ ପଟ୍ଟନାୟକ ଏବଂ ଉତର ଭୁବନେଶ୍ୱର ପାଇଁ ଇତିଶ ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଇଛି । ଅନ୍ୟପକ୍ଷରେ ପିପିଲି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବା ପାଇଁ ଦଳ ପକ୍ଷରୁ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରାଯାଇଥିଲେ ହେଁ ସେ ଆଗାମୀ ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ମନା କରିଦେଇଛନ୍ତି । ଏହାର କାରଣ ଦର୍ଶାଇ ସେ କହିଛନ୍ତି ଯେ, ପିସିସି ସଭାପତି ନିରଂଜନ ପଟ୍ଟନାୟକ ଅନ୍ୟଠୁ ଟଙ୍କା ନେଇ ତାଙ୍କୁ ଝୁଲାଇ ରଖିଥିଲେ । ଏତେ କମ୍ ସମୟ ମଧ୍ୟରେ ନିର୍ବାଚନ ଲଢ଼ିବା ସମ୍ଭବ ନୁହେଁ । କର୍ମୀ ଏବଂ ଶୁଭେଚ୍ଛୁ ଓ ସମର୍ଥକ ମାନଙ୍କର ପରାମର୍ଶ କ୍ରମେ ଏହି ନିଷ୍ପତି ନେଇଛନ୍ତି ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି । ସେ ଏକ ପ୍ରଶ୍ନର ଉତର ଦେଇ କହିଥିଲେଯେ, ବିଜେପି, ବିଜେଡ଼ିକୁ ଯିବି ନାହିଁ କି ସ୍ୱାଧିନ ଭାବରେ ଛିଡ଼ା ହେବି ନାହିଁ ।