ଭୁବନେଶ୍ୱରରେ ମାତିଛନ୍ତି ପିଲାଚୋର

Apr 28, 2022 - 04:58
 75
ଭୁବନେଶ୍ୱରରେ ମାତିଛନ୍ତି ପିଲାଚୋର
ଭୁବନେଶ୍ୱର: ରାଜଧାନୀ ଇନ୍ଫୋସିଟି ଥାନା ଅଂଚଳରେ ଜଣେ ଶିଶୁକନ୍ୟାକୁ ବିସ୍କୁଟ ଦେଇ ଅପହରଣ କରାଯିବା ଘଟଣାର ୧୦ଦିନ ପରେ ଖଣ୍ଡଗିରି ଥାନା ଅଂଚଳରେ ଜଣେ ନାବାଳକଙ୍କୁ ଅପହରଣ କରାଯାଇ ବିକ୍ରି କରାଯାଇଥିବା ଜଣାପଡ଼ିଛି । ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ କାବୁ କରି ତାଙ୍କ ସହଯୋଗରେ ନାବାଳକଙ୍କୁ ଖୋର୍ଦ୍ଧା ପୁବୁସାହିରୁ ଗତକାଲି ଉଦ୍ଧାର କରିଛି । ଏଥିସହ ମାଷ୍ଟରମାଇଣ୍ଡଙ୍କ ସହ ବିକ୍ରି ଯୋଜନାରେ ସମ୍ପୃକ୍ତ ଥିବା ଜଣେ ମଧ୍ୟସ୍ଥ ଓ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି । ସେମାନେ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ଅଖାରିଆ ଅଂଚଳର ମୁଖ୍ୟ ଅଭିଯୁକ୍ତ ଗୀତାଞ୍ଜଳି ଦାସ(୩୪), ସରୋଜିନୀ ମହାପାତ୍ର(୫୦) ଓ ମଧ୍ୟସ୍ଥ ଗୋବର୍ଦ୍ଧନ ସାହୁ(୪୨) । ଗୁରୁବାର ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଖଣ୍ଡଗିରି ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଗୀତାଞ୍ଜଳି ଜାଗମରା ଗ୍ରାମରେ ପରିବାର ସହ ରୁହନ୍ତି । ଓଡ଼ଗାଁ ଅଂଳର ମଧ୍ୟସ୍ଥ ଗୋବର୍ଦ୍ଧନ ଓ ସରୋଜିନୀ ନାମ୍ନୀ ମହିଳାଙ୍କ ସହ ପିଲା ବିକ୍ରି ପାଇଁ ୧ ଲକ୍ଷ ଟଙ୍କା ଡିଲ୍ କରିଥିଲେ । ଏଥିପାଇଁ ସେ ମାସେ ପୂର୍ବରୁ ୪୦ ହଜାର ଟଙ୍କା ଅଗ୍ରିମ ଆଣିଥିଲେ । ବୁଧବାର ସାରେ ଗୀତାଞ୍ଜଳି ଘରପାଖରେ ୩ ଜଣ ପିଲାଙ୍କୁ ବହି କିଣେଇବା ସହ ଚକଲେଟ୍ ଦେବାକୁ କହି ଡାକିଥିଲେ । ହେଲେ ୩ ଜଣ ପିଲାଙ୍କ ମଧ୍ୟରୁ ପଡେ଼ାଶୀ ମାମା ଜେନାଙ୍କ ୧୦ ବର୍ଷର ପୁଅ ତାଙ୍କ ସହ ଯାଇଥିଲେ । ସେପଟେ ପୂର୍ବ ଯୋଜନା ଅନୁଯାୟୀ ଗୋବର୍ଦ୍ଧନ ଓ ସରୋଜିନୀଙ୍କୁ ଡାକି ଦେଇଥିଲେ । ସେମାନେ ଏକ କାର୍ ଯୋଗେ ଭୁବନେଶ୍ୱର ଆସି ଗୀତାଞ୍ଜଳିଙ୍କ ପାଖରେ ପହଞ୍ଚିଥିଲେ । ସେମାନେ ନାବାଳକଙ୍କୁ କିଛି ନିଶାଦ୍ରବ୍ୟ ଦେବାରୁ ସେ ଶୋଇ ପଡ଼ିଥିଲେ । ପରେ ସେମାନେ ନାବାଳକଙ୍କୁ ନେଇ ରାତିରେ ଓଡ଼ଗାଁ ଚାଲିଯାଇଥିଲେ । ସେଠାରୁ ଗୀତାଞ୍ଜଳି ଭୁବନେଶ୍ୱର ଚାଲି ଆସିଥିଲେ । ଏପଟେ ମା’ ମାମା ତାଙ୍କ ପୁଅଙ୍କୁ ନ ପାଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା(ନଂ.୨୧୪/୨୨) ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ଗୀତାଞ୍ଜଳିଙ୍କୁ ଅଟକ ରଖି ପଚରାଉଚରା କରିଥିଲେ ସୁଦ୍ଧା ସେ ପ୍ରଥମେ କିଛି କହି ନ ଥିଲେ । ପରେ ସବୁ କଥା ମାନି ଥିଲେ । ତାଙ୍କଠାରୁ ସବୁ କଥା ଜାଣିବା ପରେ ଅନ୍ୟ ୨ ଅଭିଯୁକ୍ତଙ୍କ ଧରିବାକୁ ଯୋଜନା କରିଥିଲା । ଗୀତାଞ୍ଜଳିଙ୍କ ମାଧ୍ୟମରେ ୨ ଅଭିଯୁକ୍ତ ଗୋବର୍ଦ୍ଧନ ଓ ସରୋଜିନୀଙ୍କୁ ପୁବୁସାହି ନିକଟରୁ ଏକ ବସ୍ରୁ କାବୁ କରାଯିବା ସହ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା ।