ବିବାହ ବନ୍ଧନରେ ହାର୍ଡକୋର ମାଓବାଦୀ

Sep 9, 2022 - 05:56
 51
ବିବାହ ବନ୍ଧନରେ ହାର୍ଡକୋର ମାଓବାଦୀ
ନୂଆପଡ଼ା: ଦିନେ ମାଓ ନୀତିରେ ଅନୁପ୍ରାଣିତ ହୋଇ ହାତରେ ବନ୍ଧୁକ ଧରି ହାର୍ଡକୋର ମାଓବାଦୀ ସାଜିଥିଲେ । ଅନେକ ହିଂସା ଘଟାଇ ପୁଲିସ ଟାର୍ଗେଟରେ ଥିଲେ । ଏବେ ସେମାନେ ସାଜିଛନ୍ତି ୭ ଜନ୍ମର ସାଥୀ । ଖୋଦ୍ ପୁଲିସ ପ୍ରଶାସନ ଉଭୟ ମାଓ ଦମ୍ପତିଙ୍କ ବିବାହ ଉତ୍ସବ ଆୟୋଜନ କରିଛନ୍ତି । ମାଓ ଆଦର୍ଶ ଓ ଅସ୍ତ୍ରକୁ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଏହି ଦୁଇ ମାଓବାଦୀ ହେଲେ ଡାଲମତୀ କମାର ଓ ରାହୁଲ ମୁସାକି। ଗତ ୨୦୧୬-୧୭ରେ ନୂଆପଡା ଜିଲ୍ଲା ସିନାପାଲି ଥାନା କୁନ୍ଦେନଝରିଆ ଗାଁର ଡାଲମତୀ କମାର ଓରଫ୍ ମାଧୁରୀ ମୈନପୁର ମାଓବାଦୀ ଡିଭିଜନରେ ଯୋଗଦାନ କରିଥିଲେ। କିନ୍ତୁ ସେଠାରେ ନିର୍ୟାତନା ସହି ନ ପାରି ୨୦୧୮ ନଭେମ୍ବର ୧୩ରେ ତତ୍କାଳୀନ ନୂଆପଡ଼ା ଏସପି ସ୍ମିତ ପରମାରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେହିପରି ୨୦୨୧ ସେପ୍ଟେମ୍ବର ମାସରେ ଛତିଶଗଡର ରାଜ୍ୟ ସୁକମା ଅଞ୍ଚଳର ରାହୁଲ ମୁସାକି ଓରଫ ପିଣ୍ଟୁ କନ୍ଧମାଲ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ସେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼(କେକେବିଏନ) ମାଓ ସଂଗଠନରେ କାମ କରୁଥିଲେ। ସେମାନଙ୍କ ନାମରେ ଲକ୍ଷାଧିକ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ହେଲେ ମାଓ ରାସ୍ତା ଛାଡ଼ିବା ପରେ ଦୁହେଁ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ସହ ପରସ୍ପରର ହାତ ଧରିବାକୁ ସ୍ଥିର କରିଥିଲେ । ସେମାନଙ୍କର ଏହି ନିଷ୍ପତ୍ତିକୁ ରୂପ ଦେବା ନିମନ୍ତେ ନୂଆପଡ଼ା ଜିଲ୍ଲା ପୁଲିସ ଉଦ୍ୟମ କରିଥିଲା । ଦୁହେଁ ବୁଧବାର ଧୁମଧାମ୍‌ରେ ବାହା ହେଉଛନ୍ତି ।