ତୁର୍କୀ ଭୂକମ୍ପ: ବଢ଼ୁଛି ମୃତ୍ୟୁସଂଖ୍ୟା, ୪୦୦୦ ଟପିଲା

Feb 7, 2023 - 06:50
 41
ତୁର୍କୀ ଭୂକମ୍ପ:  ବଢ଼ୁଛି ମୃତ୍ୟୁସଂଖ୍ୟା,  ୪୦୦୦ ଟପିଲା
ଇସ୍ତାନବୁଲ : ତୁର୍କୀ ଓ ସିରିଆରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁସଂଖ୍ୟା ୪୦୦୦ ଟପିଯାଇଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ତୁର୍କୀରେ ଏଯାବତ୍ ୪୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। କ୍ରମାଗତ ୩ଟି ବଡ଼ଧରଣର ଭୂକମ୍ପରେ ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଛି ତୁର୍କୀ। ସେଠାକାର ୯ଟି ପ୍ରଦେଶ ସଂପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି। ୩୦ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସୁଦ୍ଧା ବହୁ ଲୋକ ଧ୍ବଂସସ୍ତୂପ ତଳେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଜୋର୍‌ସୋର୍‌ରେ ଉଦ୍ୟମ ଜାରି ରହିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଇତିମଧ୍ୟରେ ସିରିଆ ସରକାର ଅନ୍ତଃରାଷ୍ଟ୍ରୀୟ ସହାୟତା ପାଇଁ ନିବେଦନ କରିଛନ୍ତି। ଏହାସହ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ତୁର୍କୀ ସରକାର। ସୂଚନାଯୋଗ୍ୟ ଯେ, ଗତକାଲି ତୁର୍କୀରେ ୧୦ ଘଣ୍ଟା ମଧ୍ୟରେ ତିନି ତିନିଟି ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ୯ଟି ପ୍ରଦେଶ ସଂପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି। ଗତ ୮୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର କୁହାଯାଉଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନେକ ସହର ନିଶ୍ଚିହ୍ନ ହୋଇଯାଇଛି। ୩ ହଜାରରୁ ଅଧିକ ବିଶାଳକାୟ ଅଟ୍ଟାଳିକାମାନ ଧ୍ବଂସସ୍ତୂପରେ ପରିଣତ ହୋଇଛି। ହଜାର ହଜାର ଲୋକ ଧ୍ବଂସସ୍ତୂପ ତଳେ ଏବେ ବି ଦବି ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏହି ବିପର୍ଯ୍ୟୟ ଯୋଗୁଁ ପଡ଼ୋଶୀ ଦେଶ ସିରିଆର ବ୍ୟାପକ ଅଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତୁର୍କୀ ଓ ସିରିୟା‌ରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏଥିସହ ବର୍ଷା ଓ ବରଫପାତ ମଧ୍ୟ ହେଉଛି। ଭୂମିକମ୍ପ ଲୋକଙ୍କ ଦୁର୍ଦ୍ଦଶାକୁ ଏହା ଆହୁରି ବଢ଼ାଇ ଦେଇଛି। ବରଫପାତ ସହିତ ଏକାଧିକ ଭୂମିକମ୍ପ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଛି। ଭାରତ ସମେତ ଅନେକ ଦେଶ ତୁର୍କୀ ଏବଂ ସିରିଆକୁ ସହାୟତା ପଠାଇବା ଆରମ୍ଭ କରିଛନ୍ତି।